ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ କି?
ବିଜେପି ଅନ୍ୟ ପାଇଁ ଯେଉଁ ଗାତ ଖୋଳୁଥିଲା ସେଥିରେ ସେମାନେ ନିଜେ ପଡିଯିବେ ଏକଥା ସ୍ୱପ୍ନରେ ସୁଦ୍ଧା ଭାବିନଥିବେ । ପୋଲ ଭୁଶୁଡିଲେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଠାରୁ ଆରମ୍ଭ କରି ହତ୍ୟା ଘଟଣାରେ ସଂପୃକ୍ତି ଥିବା କୈାଣସି ତଥ୍ୟ ପ୍ରମାଣ ନଥାଇ ସୁଦ୍ଧା ଆଇନ ମନ୍ତ୍ରୀଙ୍କ ସ୍ତଫା ଦାବି କରୁଥିବା ଦଳ ଏବେ ହରଡଘଣାରେ । ଯେଉଁ କେନ୍ଦ୍ରମନ୍ତ୍ରୀଙ୍କ ବଳରେ ତେଜ୍ ଦେଖାଉଛି ଦଳ, ସେହି କେନ୍ଦ୍ରମନ୍ତ୍ରୀଙ୍କ ବିଭାଗରେ ଏଭଳି ଏକ ଘଟଣା ଘଟିଛି, ଯାହା ରାଜ୍ୟ ବିଜେପିର ଦୋମୁହାଁ ନୀତିକୁ ସମସ୍ତଙ୍କ ସାମ୍ନାକୁ ନେଇ ଆସିଛି । ରାଉରକେଲା ଷ୍ଟିଲ ଫ୍ଲାଂଟରେ ଘଟିଥିବା ଘଟଣା ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିବ ନା ନୈତିକତାକୁ ମୁଣ୍ଡାଇ ନିଜ ଆଡୁ ମନ୍ତ୍ରୀ ଇସ୍ତଫା ଦେବେ? ଏତିକି ବେଳକୁ ବଡ ବଡ ଟ୍ୱିଟ କରୁଥିବା ଆଉ ବୟାନ ଦେଉଥିବା ନେତା ମୁହଁ ଲୁଚାଇ ବୁଲୁଛନ୍ତି ।
ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଏି ଘଟଣାରେ କାରଖାନାର ୨ ଡିଜିଏମ୍ ପାହ୍ୟା ଅଧିକାରୀ ନିଲମ୍ବିତ ହୋଇଛନ୍ତି। କାର୍ୟ୍ୟରେ ଅବହେଳା କାରଖାନା କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ଆରଏସପି ସିଇଓ ଦୀପକ ଭଟ୍ଟାଚାର୍ୟ୍ୟ କହିଛନ୍ତି ଯେ ମୃତକ ପରିବାରକୁ ନିୟମାନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ ସହ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ଦିଆଯିବ। ସେହିଭଳି ମୃତକଙ୍କୁ କାର୍ୟ୍ୟରେ ନିୟୋଜିତ କରିଥିବା ଠିକା ସଂସ୍ଥା ଷ୍ଟାର କନଷ୍ଟ୍ରକ୍ସନ ପକ୍ଷରୁ ପ୍ରତ୍ୟେକ ମୃତକ ପରିବାରକୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ।
ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶୋକ ଓ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି, ‘‘ରାଉରକେଲା ଇସ୍ପାତ୍ କାରଖାନାରେ ଦୁର୍ଘଟଣାରେ କର୍ମଚାରୀଙ୍କ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ’’ ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ‘‘ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା ଯୋଗୁଁ କର୍ମଚାରୀଙ୍କ ମୃତ୍ୟୁ ହେବା ଖବର ଗଣମାଧ୍ୟମରୁ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରଭୂ ଜଗନ୍ନାଥଙ୍କ ପାଖେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।’’
ସକାଳ ପ୍ରାୟ ୧୦ଟା ସମୟରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି) କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ବେଳେ ଅଘଟଣା ଘଟିଥିଲା। ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକମାନେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଏମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।
ବଡ କଥା ହେଉଛି କାର୍ଯ୍ୟରେ ଅବହେଳା ପାଇଁ ଯଦି ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଉଛି, ତାହେଲେ କେନ୍ଦ୍ରମନ୍ତ୍ରୀ ଉତ୍ତରଦାୟିତ୍ୱ କାହିଁକି ନେବେ ନାହିଁ? କାହିଁକି ସେ ଇସ୍ତଫା ଦେବେ ନାହିଁ? କାହିଁକି ଲେଖାଶ୍ରୀ, ଗୋଲକ ଆଉ ପୃଥ୍ୱୀରାଜ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରୁନାହାନ୍ତି? ବଡ କଥା ହେଉଛି ରାଜନୈତିକ ନେତା ମାନେ ଖାଲି ପର ପାଇଁ ଗାତ ଖୋଳି ସେଥିରୁ ରାଜନୀତିକ ଫାଇଦା ପାଇଁ ଚେଷ୍ଟିତ ଥାନ୍ତି । ହେଲେ କଥା ଯେତେବେଳେ ନିଜ ଉପରକୁ ଆସେ, ସେତେବେଳେ ବୟାନ ରଖିବା ତ ଦୁରରେ ଥାଉ, ମିଡିଆକୁ ସାମ୍ନା କରିବାକୁ ସାହାସ କରିପାରନ୍ତି ନାହିଁ ।