ଯାତରା ପାଇଁ ଯାତ୍ରା…
କରୋନା କାଳରେ ହେବ କି ଖଣ୍ଡଗିରି ମେଳା ? ଚଳିତ ଫେବୃୟାରୀରେ ପଡୁଛି ମାଘ ସପ୍ତମୀ ମେଳା । ଆଉ ମାଘ ମେଳାର ମୁଖ୍ୟ ଆକର୍ଷଣ ଥାଏ ଖଣ୍ଡଗିରି ଯାତ୍ରା । ପାର୍ଟି ପାର୍ଟି ଲଢେଇ, ଲାଇଟ ସାଉଣ୍ଡ ମ୍ୟଜିକ, ଡ୍ୟାନ୍ସ ଧମାକା, ଲହରିଆ ଡାଇଲଗ, ଛାତିଥରା ସଂଳାପରେ ଫାଟି ପଡେ ରାତିର ଛାତି ଆଉ କମ୍ପୁଥାଏ ଖଣ୍ଡଗିରି ଗୁମ୍ଫା । ଫି ବର୍ଷ ଖଣ୍ଡଗିରି ମେଳାରେ ରଙ୍ଗମଞ୍ଚ ଲୋକଙ୍କୁ ଆକୃଷ୍ଟ କରେ । ହେଲେ ଏଥର କରୋନା ପାଇଁ ଖଣ୍ଡଗିରି ମେଳାରେ ଖୋଲିବ ତ ଯାତ୍ରା ପେଣ୍ଡାଲ । ହେବ ତ ଯାତ୍ରା, ଝିଲମିଲ ଆଲୁଅରେ ଚମକିବ କି ରଙ୍ଗମଞ୍ଚ । ଏ ସମସ୍ତ ପ୍ରଶ୍ନ ସେତେବେଳେ ଉଠୁଛି ଯେତେବେଳେ ଯାତ୍ରା ପରିବେଷଣ ପାଇଁ ଦ୍ୱନ୍ଦ୍ୱ ଦେଖାଯାଉଛି ।
ଯାତ୍ରା ହେବ କି ନାହିଁ ତାକୁ ନେଇ ଯାତ୍ରା କମିଟି ଓ ବିଏମସି ମଧ୍ୟରେ ନିଷ୍କର୍ସ ବାହାରି ପାରିନାହିଁ । ୫୦୦ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ ବୋଲି ନିୟମ ହୋଇଥିବା ବେଳେ ଏତିକି ଦର୍ଶକଙ୍କୁ ନେଇ ଯାତ୍ରା କରିବା ଅସମ୍ଭବ ବୋଲି ମତ ରଖିଛି ଯାତ୍ରା କମିଟି । ତେଣୁ ପୁଣିଥରେ ପ୍ରସ୍ତାବ ମାଗିଛି ବିଏମସି । ଯାତ୍ରା ପାଇଁ ରାତିପିଛା ପାଖାପାଖି ଖର୍ଚ ହୋଇଥାଏ ଦୁଇ ଲକ୍ଷ । ଟେଂଟ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୩ରୁ ସାଢେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ଅତି କମରେ ଅଢେଇ ହଜାରରୁ ୩ହଜାର ଦର୍ଶକଙ୍କୁ ଅନୁମତି ନଦେଲେ ଯାତ୍ରା ଆୟୋଜନ ଅସମ୍ଭବ କହିଛି କମିଟି ।
ସେପଟେ ଯାତ୍ରା ହେବା ନେଇ ମତ ରଖିଛନ୍ତି ଯାତ୍ରା କଳାକାର । ଯାତ୍ରା ହେଉ ମାତ୍ର ସରକାର ୫୦୦ ନୁହେଁ ଅଧିକ ଲୋକଙ୍କୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ଯଦିଓ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନ ଉପରେ ଯାତ୍ରା ହେବା ନେଇ ନିଷ୍ପତ୍ତି ଛାଡିଛନ୍ତି ତେଣୁ ବିଏମସି ଏ ବାବଦରେ ସ୍ପଷ୍ଟ ଚିତ୍ର ଦେଖାଉନି । ଆଲୋଚନା ଫଳପ୍ରଦ ହେଉ ନଥିବାରୁ ଖଣ୍ଡଗିରି ଯାତ୍ରା ସସପେନ୍ସ ଭିତରେ ଅଛି ।
ତେବେ ଯାତ୍ରା ବେଶି ଲୋକରେ ହେବା ନେଇ ମତ ରଖିଛନ୍ତି ବରିଷ୍ଠ ଅଭିନେତା ଦୈତାରୀ ପଣ୍ଡା । କରୋନା ପରେ ପ୍ରାୟ ସବୁ କିଛି ଖୋଲିଗଲାଣି ହେଲେ ଏଯାଏଁ ଯାତ୍ରା ଖୋଲି ନାହିଁ।ଆଗକୁ ଆସୁଛି ଖଣ୍ଡଗିରି ମେଳା ଯଦି ସରକାର କଟକଣା କୋହଳ ନ କରନ୍ତି ତାହେଲେ କଳା ବଞ୍ଚିବନି କି କଳାକାର ବି ବଞ୍ଚିବନି। ଯାତ୍ରା ମାଲିକ ଏତେ କମ ଲୋକରେ କେମିତି ଯାତ୍ରା କରିବ । ମାଲିକ ବଞ୍ଚିବନି କି କଳାକାର ବି ବଞ୍ଚିପାରିବନି। ସରକାରଙ୍କୁ ଅନୁରୋଧ କରୁଛୁ କିଛି ନହେଲେ ୨୦୦୦ ଲୋକଙ୍କୁ ଅନୁମତି ଦେଲେ ଯାତ୍ରା ହେଇପାରିବ ନହେଲେ ଯାତ୍ରା ହେଇପାରିବ ନାହିଁ। ସେଥିପାଇଁ ଆମ ସଂଘଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟକରିଛୁ ଯଦି କଟକଣା କୋହଳ ନକରନ୍ତି କି କଳାକାରଙ୍କ କଥା ଚିନ୍ତା ନକରନ୍ତି ତାହେଲେ ରାଜ ରାସ୍ତାକୁ ଓହ୍ଲାଇବେ କଳାକାର ବୋଲି ଚେତାବନୀ ଦେଇଛନ୍ତି ଦୈତାରୀ ।