ନଳିନୀଙ୍କ ପାଇଁ ନବୀନଙ୍କୁ ଦେବାକୁ ପଡିବନି ତ ବହୁମୂଲ୍ୟ?
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜର ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛି । ୩୦ ଜିଲ୍ଳା ପାଇଁ ନୂଆ ପର୍ୟ୍ୟବେକ୍ଷକ ଘୋଷଣା କରିଛନ୍ତି ନବୀନ । ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳର ରିପିଟ ଯେପରି ୨୦୨୨ରେ ନହୁଏ ସେଥିପାଇଁ ଏବେଠୁ ନବୀନଙ୍କ ଅଙ୍କକଷା ଆରମ୍ଭ ହୋଇଛି । କେବଳ ଗୋଟିଏ ଲକ୍ଷ୍ୟ ଦଳ କିଭଳି ପଞ୍ଚାୟତ ଫାଇଟରେ ବିରୋଧୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିବ ଏବଂ ୨୦୨୪ ନିର୍ବାଚନ ପାଇଁ ପଥ ପରିଷ୍କାର କରିବ । କିନ୍ତୁ ଯେଉଁ ବିଜୟ ଲକ୍ଷ୍ୟ ନେଇ ଦଳ ଅଭିଯାନ ଆରମ୍ଭ କରିବାକୁ ଯାଉଛି ସେଥିରେ ସ୍ଥାନ ପାଇଥିବା ଜଣେ ପରାଜିତ ନେତାଙ୍କୁ ନେଇ ଏବେ ବିଜେଡି ମହଲରେ ପ୍ରଶ୍ନ ଉଠିଛି । ଜଣେ ପରାଜିତ, ଅନଭିଜ୍ଞ, ଦାଗୀ ନେତାଙ୍କୁ କିଭଳି ନବୀନ ଏତେବଡ ଗୁରୁଦାୟିତ୍ୱ ଦେଲେ ତାହା ଅନେକଙ୍କୁ ଆଶ୍ଚର୍ୟ୍ୟ କରିଛି । ଆଉ ତାହା ବି ପୁଣି ସମ୍ବଲପୁର ଭଳି ସମ୍ମାନଜନକ ଜିଲ୍ଲାର ଦଳୀୟ ପର୍ୟ୍ୟବେକ୍ଷକ ଦାୟିତ୍ୱ । ଆଜ୍ଞା ଆମେ କହୁଛୁ ସଚିବରୁ ସାଂସଦ ହେବାକୁ ସ୍ୱପ୍ନ ଦେଖି ଫେଲ ମାରିଥିବା ନଳିନୀ ପ୍ରଧାନଙ୍କ କଥା ।
ନଳିନୀ ପ୍ରଧାନ । ଗତ ୨ ବର୍ଷ ହେବ ବିଜେଡି ନେତା ଭାବେ ଷ୍ଟାମ୍ପ ବାଜିଛି । ନେତା ହେବା ପୂର୍ବରୁ ପୂର୍ତ୍ତ ସଚିବ ଭାବେ ଜଣାଶୁଣା ଥିଲା । ଜଣାଶୁଣା ଏଥିପାଇଁ ଥିଲେ କାରଣ ନିଜେ ସଚିବ ଥିବା ସମୟରେ ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା । ଆଉ ଏହାର ମୁଖ୍ୟ କାର୍ପଟଦାର ମଧ୍ୟ ନିଜେ ନଳିନୀ ବାବୁ ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି । ୨୦୧୭ର ବମିଖାଲ ବ୍ରିଜ ଭୁଶୁଡିବା ଘଟଣା ରାଜ୍ୟବାସୀଙ୍କର ଯେତେଦିନ ପର୍ୟ୍ୟନ୍ତ ମନେ ରହିବ, ଦୁର୍ନୀତିକୁ ପ୍ରଶୟ ଦେଉଥିବା ଅଫିସର ଭାବେ ନଳିନୀଙ୍କ ନାଁ ମଧ୍ୟ ସେତେଦିନ ପର୍ୟ୍ୟନ୍ତ ମନେ ରହିବ । ବମିଖାଲ ବ୍ରିଜ ଭୁଶୁଡିବା ଘଟଣାରେ ନିଜ ଉପରୁ ଦୋଷ ଖସାଇବାକୁ ଯାଇ ଯେଉଁଭଳି ଭାବେ ପଣ୍ଡା ଇନଫ୍ରା ସଂସ୍ଥାର ମାଲିକଙ୍କୁ ଫଶେଇବାକୁ ଉଦ୍ୟମ କରାଯାଇଥିଲା ତାହା ପଛର ନକ୍ସା ଆଙ୍କିଥିବା ନାୟକ ଥିଲେ ସେତେବେଳର ପୂର୍ତ୍ତସଚିବ ନଳିନୀ ପ୍ରଧାନ ।
ବମିଖାଲ ବ୍ରିଜର ମୂଳ ଡିଜାଇନ ପରିବର୍ତ୍ତନ ଆରମ୍ଭ ଦିନରୁ ବିବାଦୀୟ ହୋଇ ରହିଛି । ଏଭଳି ଆଶ୍ଚର୍ୟ୍ୟକର ଡିଜାଇନକୁ କିଏ ଅନୁମୋଦନ କଲା ତାକୁ ନେଇ ମଧ୍ୟ ବିଭାଗ ବିବାଦ ଘେରକୁ ଆସିଥିଲା । କିନ୍ତୁ ବ୍ରିଜର ମୂଳ ଡିଜାଇନରେ ବାରମ୍ବାର ପରିବର୍ତ୍ତନ କରିବା ସହ ବ୍ୟୟ ଅଟକଳକୁ ବଢାଇବା ପଛର ମୁଖ୍ୟ କାର୍ପଟଦାର ଥିଲେ ବିଭାଗୀୟ ବାବୁ । ଆଉ ଏଭଳି କରି ସରକାରୀ ଟଙ୍କା ବିଭାଗର ବଡ ବାବୁ ହରିଲୁଟ କରୁଥିବା ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ଯେତେବେଳେ ବମିଖାଲ ବ୍ରିଜ ଭୁଶୁଡିଲା ସେତେବେଳେ ନିଜ ଇଞ୍ଜିନିୟରଙ୍କ ଭୁଲ ଯେପରି ସାମ୍ନାକୁ ନ ଆସିବ ସେଥିପାଇଁ କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ଅଠା ବୋଳି ଥିଲେ ବିଭାଗୀୟ ବଡ ବାବୁ । ନିଜକୁ ସ୍ୱଚ୍ଛ ଓ ସଚ୍ଚୋଟର ସାର୍ଟିଫିକେଟ ଦେଇ ପାୱାର କରିଡରର ଗେହ୍ଲାପୁଅ ହୋଇ ରହିବା ପରେ ବିଜେଡି ରାଜନୀତିରେ ପ୍ରବେଶ କରିଥିଲେ ନଳିନୀ । ପାୱାର କରିଡରରେ ଦବଦବା ରଖିଥିବାରୁ ଦଳରେ ଯୋଗ ଦେଉ ଦେଉ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଟିକେଟ ମଧ୍ୟ ହାତେଇଥିଲେ । କିନ୍ତୁ ଭୋଟରଙ୍କ ଭରସା ଜିତିବାରେ ସକ୍ଷମ ହୋଇନଥିଲେ । ନଳିନୀଙ୍କ ଉପରେ ଭରସା କରି ଦଳକୁ ସମ୍ବଲପୁର ଆସନ ମଧ୍ୟ ହରାଇବାକୁ ପଡିଲା ।
କିନ୍ତୁ ହାଇକୋର୍ଟ ଯେତେବେଳେ ପଣ୍ଡା ଇନଫ୍ରା ପକ୍ଷରେ ରାୟ ଦେବା ସହ ସଂସ୍ଥାକୁ କଳା ତାଲିକା ଭୁକ୍ତ କରାଯାଇପାରିବ ନାହିଁ ବୋଲି କହିଲେ ସେତେବେଳେ ବାବୁ ନଳିନୀଙ୍କର ଅସଲ ଚେହେରା ସାମ୍ନାକୁ ଆସିଥିଲା । ଦୁର୍ନୀତିକୁ ଲୁଚାଇବାକୁ ଯାଇ କିଭଳି ଅନ୍ୟ ଉପରେ ଦୋଷ ଲଦାଯାଏ ତାହାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସିଲା । ଆଉ ଏହା ନଳିନୀଙ୍କୁ ଏବେ ଦାଗୀ ନେତାର ପରିଚୟ ଦେଇଛି । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ଦାଗୀ ନେତାଙ୍କୁ ପର୍ୟ୍ୟବେକ୍ଷକ ଦାୟିତ୍ୱ ମିଳିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ମଳ ରାଜନୀତିର କଥା କହୁଥିବା ନବୀନ କିପରି ଦୁର୍ନୀତିର ଦାଗ ଲାଗିଥିବା ନଳିନୀଙ୍କ ଉପରେ ଭରସି ପାରିଲେ ତାହା ସବୁଠୁ ବଡ ପ୍ରଶ୍ନ । ଆଉ ତାହା ବି ପୁଣି ସମ୍ବଲପୁର ଭଳି ସମ୍ମାନଜନକ ଜିଲ୍ଲାର ଗୁରୁଦାୟିତ୍ୱ ଦେଇ । କିନ୍ତୁ ଜଣେ ପରାଜିତ କିଭଳି ଦଳକୁ ସଙ୍ଗଠିତ କରିବ ତାହାକୁ ନେଇ ଉଠିଛି ପ୍ରଶ୍ନ ।
ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ନିର୍ବାଚନରେ ସମ୍ବଲପୁର ଜିଲ୍ଲାରେ ବିଜେଡିକୁ ଆଶାତୀତ ସଫଳତା ମିଳିନଥିଲା । ଏପରିକି ଖୋଦ୍ ନଳିନୀଙ୍କୁ ମଧ୍ୟ ପରାଜିତ ହେବାକୁ ପଡିଥିଲା । ଆଉ ପରାଜିତ ହେବା ପରେ ସଙ୍ଗଠନ ସହ ଏତେଟା ଜଡିତ ନଥିଲେ ନଳିନୀ । କାଁ ଭାଁ କେତୋଟି କାର୍ୟ୍ୟକ୍ରମ ବ୍ୟତୀତ ନଳିନୀଙ୍କ ଦଳ ପାଇଁ ସେତେଟା ଆନ୍ତରକିତା ମଧ୍ୟ ନଥିବା ଭଳି ମନେ ହେଉଥିଲା । ସାଂସଦ ହେବା ସ୍ୱପ୍ନ ଚୂରମାର ହେବା ପରେ ସଙ୍ଗଠନରୁ ନିଜକୁ ଦୂରେଇ ରଖିଥିଲେ ନଳିନୀ । କିନ୍ତୁ ପଞ୍ଚାୟତ ଫାଇଟ ପୂର୍ବରୁ ନଳିନୀଙ୍କୁ ପୁଣି ସେହି ସମ୍ବଲପୁରର ପର୍ୟ୍ୟବେକ୍ଷକ କରିବା ପରବର୍ତ୍ତୀ ସମୟରେ ବିଜେଡି ପାଇର୍ ବୁମେରାଂ ହୋଇପାରେ । କାରଣ ନିଜେ ପରାଜିତ ହୋଇଥିବା ନେତା କିଭଳି ପୁଣି ସମ୍ବଲପୁରକୁ ବିଜୟର ରାସ୍ତା ଦେଖାଇବ ତାହା ସବୁଠୁ ବଡ ପ୍ରଶ୍ନ । ସେହିଭଳି ନଳିନୀଙ୍କର ପୁରୁଣା ପୋଥି ଖେଳାଇଲେ ଦାଗୀ ନେତାର ଟ୍ୟାଗ୍ ଲାଗିଛି । ତେଣୁ ଜଣେ ଦାଗୀ ନେତାଙ୍କୁ ଦାୟିତ୍ୱ ଦେଇ ବିଜେଡିକୁ ବହୁମୂଲ୍ୟ ଦେବାକୁ ପଡିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୨ ପଞ୍ଚାୟତ ଫାଇଟ ପାଇଁ ସମ୍ବଲପୁରରେ ଦଳକୁ ଯଥେଷ୍ଟ କସରତ କରିବାକୁ ପଡିବ । ଏଥିପାଇଁ ଜଣେ ସକ୍ରିୟ ସିପାହୀଙ୍କର ଆବଶ୍ୟକତା ରହିଛି । କିନ୍ତୁ ନଳିନୀଙ୍କ ଭଳି ଅନଭିଜ୍ଞ, ପରାଜିତ ତଥା ଦାଗୀ ନେତାଙ୍କୁ ନେଇ ସମ୍ବଲପୁର ମୈଦାନକୁ ଓହ୍ଳାଇବା ବିଜେଡି ପାଇଁ ଘାତକ ହୋଇପାରେ ।