ସବୁଜ ଶିବିରରେ ସଞ୍ଜୟ ସାଇଡଲାଇନ!
ସବୁଜ ଶିବିରରୁ ସଞ୍ଜୟଙ୍କୁ କରାଯାଉଛି କି ସାଇଡଲାଇନ? ଏଭଳି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ପିପିଲି ଉପ-ନିର୍ବାଚନ ପାଇଁ ବିଜେଡିର ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟା ଯାଇଛି । ଛାତ୍ର, ଯୁବ ଓ ବରିଷ୍ଠ ନେତାଙ୍କୁ ନେଇ ବିଜେଡି ପକ୍ଷରୁ କମିଟି ଗଠନ ହୋଇଛି ସତ, କିନ୍ତୁ କୌଣସି କମିଟିରେ ସଞ୍ଜୟ ଦାସବର୍ମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବନି । ବରଂ ସଞ୍ଜୟଙ୍କ ଠାରୁ ସାତ ସାନ ନେତାଙ୍କୁ ବିଭିନ୍ନ ବ୍ଲକ ଓ ପଞ୍ଚାୟତକୁ ଜଗିବାର ଗୁରୁଦାୟିତ୍ୱ ଦେଇଛି ବିଜେଡି । ନିଜ ଜିଲ୍ଲାରେ ନିର୍ବାଚନ ହେଉଥିଲେ ମଧ୍ୟ ସଞ୍ଜୟଙ୍କୁ ଦାୟିତ୍ୱମୁକ୍ତ କରିବା ପଛର ସଂକେତ ଯେ କଣ ତାହା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କାରଣ ପୁରୀ ଜିଲ୍ଲା ରାଜନୀତିରେ ମହାରଥୀଙ୍କ ପରେ ସଞ୍ଜୟଙ୍କର ଯଥେଷ୍ଟ ଦବଦବା ରହିଛି । ଏହାସତ୍ତ୍ୱେ ମଧ୍ୟ ସଞ୍ଜୟଙ୍କୁ ପିପିଲି ଯୁଦ୍ଧରେ ସାମିଲ ନ କରିବା କେଉଁଠି ନା କେଉଁଠି ସଞ୍ଜୟଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏବେ ବଡ ପ୍ରଶ୍ନବାଚୀ ଛିଡା କରିଛି ।
ନବୀନଙ୍କ ଚତୁର୍ଥ ପାଳିରେ ପାୱାର କରିଡରର ସବୁଠୁ ପାୱାରଫୁଲ ମନ୍ତ୍ରୀ ରହିଥିଲେ ସଞ୍ଜୟ । ଛାତ୍ର ଓ ଯୁବ ସଙ୍ଗଠନକୁ ଜାବୁଡି ଧରିଥିବାରୁ ଦଳରେ ସଞ୍ଜୟଙ୍କର କାଟତି ମଧ୍ୟ ରହିଥିଲା । ଏପରିକି ଚତୁର୍ଥ ପାଳିରେ ଅତନୁ ଓ ଅରୁଣଙ୍କ ସହ ସଞ୍ଜୟଙ୍କୁ ବିଜେଡିର କ୍ରାଇସିସ୍ ମ୍ୟାନେଜର ଭାବେ ଚିତ୍ରଣ କରାଯାଉଥିଲା । ବିଭିନ୍ନ ନିର୍ବାଚନ ପରିଚାଳନା ହେଉ କି ଦଳୀୟ କାର୍ଯ୍ୟକ୍ରମ ସଞ୍ଜୟଙ୍କୁ ଆଗ ପଡୁଥିଲା ଖୋଜା । ଦଳୀୟ ମହଲରେ ସଞ୍ଜୟଙ୍କର ମଧ୍ୟ ଅଖଣ୍ଡ ପ୍ରଭାବ ରହିଥିଲା । ଆଉ ଏହା ପଛର ସବୁଠୁ ବଡ କାରଣ ଥିଲା କଂଗ୍ରେସ ପ୍ରାର୍ଥୀ ଲୁଲୁ ମହାପାତ୍ର । ଲୁଲୁଙ୍କୁ ବିଧାନସଭାରେ ଏଣ୍ଟ୍ରି କରାଇ ନଦେବା ପାଇଁ ସଞ୍ଜୟଙ୍କୁ ସର୍ବଶକ୍ତିଶାଳୀ କରାଯାଇଥିଲା । କିନ୍ତୁ ଲୁଲୁଙ୍କ ଦେହାନ୍ତ ଓ ୨୦୧୯ରେ ପରାଜୟ ସଞ୍ଜୟଙ୍କ ଠାରୁ ହେଭିୱେଟ ନେତାର ଟ୍ୟାଗ୍ ଛଡାଇ ନେଇଥିଲା । ଆଉ ପରବର୍ତ୍ତୀ ସମୟରେ ଦଳରେ ତାଙ୍କର ଗୁରୁତ୍ୱ ମଧ୍ୟ କମିବା ଆରମ୍ଭ ହୋଇଥିଲା । ନିର୍ବାଚନ ପରାଜୟ ତାଙ୍କ ରାଜନୈତିକ କ୍ୟାରିୟରକୁ ଏଭଳି ଭାବେ ଯେ ପ୍ରଭାବିତ କରିବ ତାହାର କଳ୍ପନା ମଧ୍ୟ କରିନଥିଲେ ସଞ୍ଜୟ ।
ନିର୍ବାଚନରେ ପରାଜିତ ନେତାଙ୍କ ମଧ୍ୟରେ ଏକମାତ୍ର ସଞ୍ଜୟଙ୍କୁ ପଦପଦବୀ ଦେଇ ଥଇଥାନ କରାଯାଇଛି । କିନ୍ତୁ ଏହା ଯେ ତାଙ୍କ ରାଜନୈତିକ କ୍ୟାରିୟରର ଟ୍ରାକକୁ ରିଭର୍ସ ଦିଗକୁ ଟାଣି ନେଉଛି ତାହା ବୋଧହୁଏ ଆଉ ସଞ୍ଜୟଙ୍କ ପାଇଁ ଅବୁଝା ନାହିଁ । କାରଣ ଦଳର ମୁଖ୍ୟାଳୟ ସଂପାଦକ ଭାବେ ସଞ୍ଜୟ ଯେଉଁ ପଦବୀରେ ବସିଛନ୍ତି ତାହା ଜଣେ ସକ୍ରିୟ ରାଜନେତାଙ୍କ ପାଇଁ ସମ୍ପୂର୍ଣ୍ଣ ମୂଲ୍ୟହୀନ ବୋଲି ଚର୍ଚ୍ଚା ହେଉଛି । ଏଭଳି ଭାବେ ସଞ୍ଜୟଙ୍କୁ ରାଜଧାନୀ ଭିତରେ ସୀମିତ ରଖାଯାଇଛି । କିନ୍ତୁ ପୂର୍ବଭଳି ଆଉ ସଙ୍ଗଠନ ସହ ସଂଶ୍ଲିଷ୍ଟ କରାଯାଉନାହିଁ । ଯାହାର ଝଲକ ପିପିଲି ଉପ-ନିର୍ବାଚନ ଆରମ୍ଭରୁ ଦେଖିବାକୁ ମିଳିଲାଣି ।
ପିପିଲି ଫାଇଟ ପାଇଁ ପଞ୍ଚାୟତୱାରୀ କ୍ୟାମ୍ପ ପକାଇ ରହିଲେଣି ବିଜେଡିର ତୁଙ୍ଗ ନେତା । କିନ୍ତୁ ଏଯାଏଁ ସଞ୍ଜୟ ପୂରା ସାଇଲେଣ୍ଟ ମୋଡରେ ରହିଛନ୍ତି । ଟିକେଟକୁ ନେଇ ଏତେ ଟଣାଓଟରା ଭିତରେ ବି ପିପିଲି ଉପନିର୍ବାଚନକୁ ନେଇ ସଞ୍ଜୟ ଏଯାଏଁ ପଦୁଟିଏ ବି କହିନାହାନ୍ତି । ତେବେ ଚୁପ୍ ରହିବାକୁ ଦଳ ପକ୍ଷରୁ ଏଭଳି ନିର୍ଦ୍ଦେଶ ରହିଛି ନା ସଞ୍ଜୟ ନିଜ ତରଫରୁ ଏଭଳି ସାଇଲେଣ୍ଟ ରହିବାକୁ ଶ୍ରେୟସ୍କର ଭାବୁଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ ହେଉଥିବା ଚର୍ଚ୍ଚା ଅନୁଯାୟୀ, କୋଷ୍ଟାଲ ହାଇୱେକୁ ନେଇ ଭ୍ରମାତ୍ମକ ବୟାନ ଦେଇ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବା ସଞ୍ଜୟଙ୍କ ପାଇଁ ମହଙ୍ଗା ପଡିଛି । ଯେଉଁଥିପାଇଁ ସବୁଜ ଶିବିରରେ ସଞ୍ଜୟଙ୍କୁ ସାଇଡଲାଇନ କରାଯିବା ସହ ସାଇଲେଣ୍ଟ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି ।