THE BYAPINI

ରାଜନୀତି କରିବେ କି ବର୍ଷା ? ଏନଜିଓ ପରେ ପାଠାଗାର ବଢାଇଲା ଚର୍ଚ୍ଚା!

Get real time updates directly on you device, subscribe now.

ଗୋଟିଏ ପଟେ ବର୍ଷା- ଅନୁଭବଙ୍କ ଭିତରେ ବିବାଦ ଦିନକୁ ଦିନ ବଢି ବଢି ଚାଲିଛି । ଅନ୍ୟପଟେ ଗୋଟେ ପରେ ଗୋଟେ ସମାଜସେବା କରି ଲୋକଙ୍କ ମନ ଜିଣୁଛନ୍ତି ବର୍ଷା । ଗରିବ ଲୋକଙ୍କୁ ସାହାଯ୍ୟ କରି, ଲୋକାଭିମୁଖୀ କାମ କରି ବେଶ ଚର୍ଚ୍ଚା ସାଉଁଟୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କରୋନା କାଳରେ କେତେ କେତେ ଭଲ କାମ କରି ଲୋକଲୋଚନକୁ ଆସିଥିବା ବର୍ଷା ଏବେ ପୁଣି ଆମ ପାଠାଗାର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି । ଗରିବ ପିଲାଙ୍କ ପାଠ ପଢିବାରେ ସୁବିଧା କରାଇବାକୁ ରାଜ୍ୟର ପ୍ରତିଟି ଜିଲ୍ଲାରେ ପାଠାଗାର ପ୍ରତିଷ୍ଠା କରିବେ ବର୍ଷା । ଆଉ ଏହି ଘୋଷଣା ପୁଣି ବର୍ଷାଙ୍କୁ ସମାଜରେ ଏକ ନୂଆ ପରିଚୟ ଦେଇଛି ।

ତେବେ ବର୍ଷାଙ୍କ ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ ‘ସମ୍ମାନିତା’ ସହାୟତାରେ ଓଡିଶାରେ ପୁଣିଥରେ ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବାକୁ ପ୍ରଚେଷ୍ଟା କରିଛନ୍ତି ବର୍ଷା । ପାଠାଗାର ଆନ୍ଦୋଳନର ସୂତ୍ରଧର ସାଜିଥିବା ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ (ଦାଶିଆ ଅଜା)ଙ୍କ ସ୍ୱପ୍ନକୁ ପୂରା କରିବାକୁ, ତାଙ୍କ ସ୍ୱପ୍ନକୁ ପାଦେ ଆଗେଇ ନେବାକୁ ବର୍ଷା ‘ମୋ ପାଠାଗାର’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ୟ୍ୟାୟରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଜୀବନ ଜ୍ୟୋତି ଆଶ୍ରମରେ ପିଲାଙ୍କୁ ଦୁଇଟି ଆଲମାରୀ ଭର୍ତ୍ତି ପୁସ୍ତକ ପ୍ରଦାନ କରି ଅଭିଯାନର ଫିତା କାଟିଛନ୍ତି ବର୍ଷା । ପାଠ୍ୟ ପୁସ୍ତକ ସହ ବିଭିନ୍ନ ଉପନ୍ୟାସ, ବଡ ଲୋକଙ୍କ ଜୀବନୀ ଆଦି ରହିଛି ଆମ ପାଠାଗାରରେ ।

ନୟାଗଡ ଜିଲ୍ଲାର ଉଦୟପୁର ଗାଁ । ଲୋକଙ୍କ କାନରେ ଏକ ପରିଚିତ ଗାଁ ନୁହେଁ । ମାତ୍ର ସେମିତି ଏକ ଗାଁରୁ ୧୯୦୭ ମସିହାରେ ଜନ୍ମ ନେଇ ଦାଶିଆ ଅଜା ପାଠାଗାର ଆନ୍ଦୋଳନ ଆରମ୍ଭ କରିଥିଲେ । ଗୋଟିଏ ପେଡିରେ ୫ଟି ପୁସ୍ତକରୁ ଆରମ୍ଭ ହୋଇଥିଲା ପାଠଗାର । ଅନେକ ଅଭାବ ଅନଟନ ସତ୍ୱେ ବିଭିନ୍ନ ପତ୍ର ପତ୍ରିକାକୁ ନେଇ ୧୯୫୯ରେ ସେ ତାଙ୍କ ଗ୍ରାମରେ ଏକ ପାଠାଗାର କରିଥିଲେ । ଏବେ ଉକ୍ତ ଗାଁ ପାଠାଗାରରେ ୧.୫ ଲକ୍ଷ ବହି ଥିବା ବର୍ଷା କହିଥିବା ବେଳେ ଆଗକୁ ସବୁ ଜିଲ୍ଲାରେ ମୋ ପାଠାଗାର ଅଭିଯାନ ସଫଳ ହେବ । ସବୁ ଜିଲ୍ଲାରେ ପାଠାଗାର କରିବାକୁ ରାଜ୍ୟ ତଥା ଦେଶ ବାହାରେ ଥିବା ଓଡିଆଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ବର୍ଷା । କେହି ସହୃଦୟ ବ୍ୟକ୍ତି ପୁସ୍ତକ ଦାନ କରିବାକୁ ଚାହୁଁଥିଲେ ସେମାନେ ୮୧୧୪୯୮୦୫୩୧ ନମ୍ବରରେ ଯୋଗାଯୋଗ କରିପାରିବେ ।

ତେବେ ବହି ପ୍ରତି ବର୍ଷାଙ୍କ ଏ ଆବେଗ, ସାରା ରାଜ୍ୟରେ ପାଠାଗାର ମିଶନ ପଛରେ ରାଜନୈତିକ ଗନ୍ଧ ବାରୁଛନ୍ତି ତାଙ୍କ ସମାଲୋଚକ । ଅନୁଭବଙ୍କୁ ଟକ୍କର ଦେବାକୁ ବର୍ଷା ନିଜକୁ ପ୍ରସ୍ତୁତ କରୁଥିବା ବି କୁହାଯାଉଛି । ଯେତେବେଳେ ବିବାହ ବିବାଦ ହାଟରେ ପଡି ଦାଣ୍ଡରେ ଗଡିଲା ସେତେବେଳେ ସାଂସଦ ସ୍ୱାମୀଙ୍କୁ ଚେକ୍ ଦେବାକୁ ବର୍ଷା ବି ରାଜନୈତିକ ଚେସ ବୋର୍ଡରେ ଗୋଟି ଚାଳନା କରୁଥିବା ଚର୍ଚ୍ଚା ହେଉଛି । କେବେ କୋରାପୁଟର ଆଦିବାସୀ ଝିଅ ନମିତାକୁ ଗୀତ ଗାଇବାକୁ ସୁଯୋଗଟିଏ ଦେଇଛନ୍ତି ତ କେବେ ଗରିବ ଆଖିର ଲୁହ ପୋଛିବାକୁ ଲମ୍ବି ଯାଇଛି ବର୍ଷାଙ୍କ ହାତ । ଆଉ ଏ ସବୁ ମହତ କାମ ପଛରେ ରାଜନୀତିର ମହା ଉଦ୍ଦେଶ୍ୟ ଥିବା ବି କୁହାଯାଉଛି ।

ଗତ କିଛି ଦିନ ହେବ ଉଗ୍ର ରୂପ ନେଇଛି ଓଲିଉଡର ଚର୍ଚ୍ଚିତ, ଲୋକପ୍ରିୟ ଯୋଡି ବର୍ଷା- ଅନୁଭବଙ୍କ ବୈବାହିକ ବିବାଦ । ବର୍ଷାଙ୍କ ନାଁରେ ସୋସିଆଲ ମିଡିଆରେ କିଛି ନିର୍ଦ୍ଦିଷ୍ଟ ଲୋକ ଅଶାଳୀନ ମନ୍ତବ୍ୟ ଦେଉଥିବା ନେଇ ସେ କଟକ ପୁରୀଘାଟ ଥାନାରେ ଏତଲା ଦେଇଥିବା ବେଳେ ଗତ ମଙ୍ଗଳବାର ମହିଳା କମିଶନଙ୍କ ପାଖେ ଫେରାଦ ହୋଇଥିଲେ ବର୍ଷା । ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସ୍ୱାମୀ-ସ୍ତ୍ରୀ ବିବାଦରେ ମଝିରେ ଧସେଇ ପଶି ବର୍ଷାଙ୍କୁ ଟାର୍ଗେଟ କରିଥିଲେ ଜାଗୃତି । ଆଉ ଗତକାଲି ବେଡରୁମକୁ ପଶିଲା ବେଳେ ଅନୁଭବଙ୍କୁ ଅଟକାଇଥିଲେ ବର୍ଷା । ରୁମକୁ ଯିବାକୁ ଅନୁଭବ ଅନୁରୋଧ କରୁଥିବା ବେଳେ ବର୍ଷା ପରକୀୟା ପ୍ରୀତିର ଅଭିଯୋଗ ଆଣିଥିବା ଏକ ନୂଆ ଭିଡିଓ ଭାଇରାଲ ହୋଇଥିଲା । ଲକ୍ଷେ ବର୍ଷା ଆସିଲେ ବି ମତେ ହରାଇ ପାରିବେନି ବୋଲି ଭିଡିଓରେ ଅନୁଭବ ବର୍ଷାଙ୍କୁ କହୁଥିବା ଦେଖିବାକୁ ମିଳିଛି । ତେବେ ଷ୍ଟାର କପୁଲଙ୍କ ବିବାଦ ଭିତରେ ବର୍ଷାଙ୍କ ଏଭଳି ଗୋଟେ ପରେ ଗୋଟେ ଜନହିତକାରୀ କାମ ରାଜନୈତିକ ଆଗମନୀର ଇସାରା ଦେଉନି ତ ? ଅନୁଭବଙ୍କୁ ଟକ୍କର ଦେବାକୁ ବର୍ଷା ରାଜନୀତିକୁ ଆସିବାକୁ ଚାହୁଁ ନାହାନ୍ତି ତ?

Get real time updates directly on you device, subscribe now.

Leave A Reply

Your email address will not be published.