ବିଜେପିକୁ ଝଟକା: ଟିଏମସିରେ ମିଶିଲେ ଯଶବନ୍ତ ସିହ୍ନା
ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍କା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି । ପଶ୍ଚମ ବଙ୍ଗ ବିଧାନ ସଭା ନିର୍ବାଚନ ପୂର୍ବରୁ ସେ ଆଜି ଟିଏମ୍ସିର ହାତ ଧରିଛନ୍ତି। ଯଶବନ୍ତଙ୍କ ବହୁ ଦିନ ହେଲା ବିଜେପି ସହ ମନାନ୍ତର ରହିଛି।
କୋଲକାତା ସ୍ଥିତ ଟିଏମ୍ସି ଭବନରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି ଯଶବନ୍ତ ସିହ୍ନା । ଦଳରେ ସାମିଲ ହେବା ପରେ ଟିଏମସି ପକ୍ଷରୁ ଏକ ପ୍ରେସ କନଫରେନ୍ସରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଟିଏମସିରେ ସାମିଲ ହେବା ପୂର୍ବରୁ ଯଶୋବନ୍ତ କୋଲକାତା ସ୍ଥିତ ପାର୍ଟି ମୁଖ୍ୟାଳୟରେ ମମତାଙ୍କୁ ଭେଟିଥିଲେ। ସେତେବେଳେ ସିହ୍ନା କହିଥିଲେ, ଏବ ଦେଶ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଛି। ତାଙ୍କର ଏହି ନିଷ୍ପତ୍ତିରେ ଜନତା ନିଶ୍ଚୟ ଆଶ୍ଚର୍ୟ୍ୟ ହୋଇଯାଇଥିବେ। ସେ ଦଳ ରାଜନୀତିରୁ ଅଲଗା ହୋଇଯାଇଥିଲେ। କିନ୍ତୁ ଆଜି ଦେଶର ମୂଲ୍ୟବୋଧ ସଙ୍କଟରେ ଅଛି ଏବଂ ତାର ଅନୁପାଳନ ହେଉନି। ଗଣତନ୍ତ୍ରର ଶକ୍ତି ଆମ ସଂସ୍ଥାରେ ନିହିତ। କିନ୍ତୁ ଆଜି ସଂସ୍ଥା ଦୁର୍ବଳ ହୋଇପଡିଛି। ଏଥିରେ ଦେଶର ନ୍ୟାୟପାଳିକା ମଧ୍ୟ ସାମିଲ ଅଛନ୍ତି।
ବିଜେପି ସହ ଦୀର୍ଘ ବର୍ଷ ଧରି କାମ କରିଥିବା ଯଶୋବନ୍ତ ସ୍ମୃତିଚାରଣ କରି ଅଟଳ ବିହାରୀ ବାଜପେୟୀଙ୍କ ସମୟର କଥା କହିଥିଲେ। ସେ କହିଥିଲେ, ଅଟଳଜୀଙ୍କ ସମୟରେ ବିଜେପି ସର୍ବସମ୍ମତି ଉପରେ ବିଶ୍ୱାସ କରୁଥିଲା। ହେଲେ ବର୍ତ୍ତମାନର ସରକାର ଜିତିବା ଉପରେ ବିଶ୍ୱାସ କରନ୍ତି।୧୯୬୦ ବ୍ୟାଚ୍ର ‘ଆଇଏଏସ୍’ ଅଧିକାରୀ ସିହ୍ନା ସରକାରୀ ଚାକିରି ଛାଡ଼ି ୧୯୮୪ରେ ‘ଜନତା ପାର୍ଟି’ରେ ସାମିଲ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ପରେ ସେ ‘ବିଜେପି’ରେ ଯୋଗ ଦେଇଥିଲେ । ଗୁରୁବାର ଦିନ ସେ ଟୁଇଟ୍ କରି ଲେଖିଥିଲେ, ବଙ୍ଗ ପାଇଁ ସଂଗ୍ରାମ ହେଉଛି ଭାରତ ପାଇଁ ସଂଗ୍ରାମ । ଏହି ନିର୍ବାଚନରେ ବଙ୍ଗର ଭୋଟ୍ଦାତାମାନେ ଭାରତର ଭବିଷ୍ୟତ ନିମନ୍ତେ ଭୋଟ୍ ଦେବେ।
କିଛି ଦିନ ହେଲା ଟିଏମସିର ବହୁ ବରିଷ୍ଠ ନେତା ବିଜେପିରେ ସାମିଲ ହେଉଥିଲେ। ଏମାନଙ୍କ ମଧ୍ୟରୁ ସବୁଠାରୁ ହେଭିୱେଟ ଥିଲେ ଶୁଭେନ୍ଦୁ ଅଧିକାରୀ। ସେ ଏଥର ବିଜେପି ଟିକେଟରୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେଉଛନ୍ତି। ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ମମତା ନିଜେ ସେଠାରୁ ପ୍ରାର୍ଥୀ ହୋଇଛନ୍ତି। ଏସବୁ ଭିତରେ ଯଶବନ୍ତ ସିହ୍ନା ଟିଏମସିରେ ମିଶିଛନ୍ତି।