ୟୁଟ୍ୟୁବରେ ପାଠ ପଢ଼ିବେ ପ୍ରାଥମିକ ପିଲା
ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ବନ୍ଦ ରହିଛି । ପିଲାମାନେ ସ୍କୁଲକୁ ଯାଇପାରୁନାହାନ୍ତି । ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ହାଇସ୍କୁଲ ପରେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ ପଢ଼ାଇବା ଲାଗି ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୧ ତାରିଖରୁ ଜୁଲାଇ ୨ ଯାଏ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବ୍ରେ ପାଠ ପଢ଼ିବେ। ୟୁଟ୍ୟୁବରେ ଲାଇଭ୍ କ୍ଲାସ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ, ଓସେପାର ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଚିଠି ଲେଖି ଅବଗତ କରିଛନ୍ତି।
ପ୍ରଥମ ପର୍ୟ୍ୟାୟ ୟୁଟ୍ୟୁବ କ୍ଲାସ ପାଇଁ ୮ଟି ଜିଲ୍ଲା ଯଥା ଖୋର୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼କୁ ଚୟନ କରାଯାଇଛି । ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ୩୦ ମିନିଟ୍ର ୩ଟି ଲେଖାଏଁ ପିରିୟଡ୍ ଅନୁଷ୍ଠିତ ହେବ । ପୂର୍ବାହ୍ନ ୯ଟାରୁ ୧୦ଟା ୩୦ ପର୍ୟ୍ୟନ୍ତ ଏହି କ୍ଲାସ ଚାଲିବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୯ଟାରୁ ୧୦ଟା ପର୍ୟ୍ୟନ୍ତ ଏବଂ ୪ର୍ଥରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ପର୍ୟ୍ୟନ୍ତ ପାଠପଢ଼ା ଚାଲିବ। ଶନିବାର ଓ ରବିବାର କୌଣସି କ୍ଲାସ ହେବନି। ୟୁଟ୍ୟୁବ ପାଠପଢ଼ା ଲାଗି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ କ୍ଲାସରୁମ୍ ପ୍ରସ୍ତୁତ କରିବେ। ଏହି ପାଠପଢ଼ା ତଦାରଖ ଲାଗି ଡିଇଓମାନେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବେ, ଯେଉଁଥିରେ ବରିଷ୍ଠ ବିଷୟ ବିଶେଷଜ୍ଞ ମୁଖ୍ୟ ରହିବେ। ଏହି ଟିମ୍ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ଗାଇଡ୍ କରିବା ସହ ଲାଇଭ୍ କ୍ଲାସ ପୂର୍ବରୁ କଣ୍ଟେଣ୍ଟ ଦେଖିବେ, ଠିକ୍ ଭାବେ କିଭଳି କ୍ଲାସ ହୋଇପାରିବ ସେ ବିଷୟରେ ଅନୁଧ୍ୟାନ କରିବେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଏହା ଦାୟିତ୍ବରେ ରହିବେ। ଲାଇଭ୍ କ୍ଲାସ ସମୟରେ ଯେପରି କୌଣସି ପ୍ରକାର ବିଭ୍ରାଟ ନ ହୁଏ ଶିକ୍ଷକମାନେ ସେଥିପ୍ରତି ଗୁରୁତ୍ବ ଦେବେ।
ଜିଲ୍ଲା ଶିକ୍ଷା ଅଧିକାରୀ ମାନେ କମିଟି ଗଠନ କରି ଦକ୍ଷ ଶିକ୍ଷକ ମାନଙ୍କୁ ୟୁଟ୍ୟୁବ ଲାଇଭ କ୍ଲାସ ପାଇଁ ଚୟନ କରିବେ। କେତେ ସଂଖ୍ୟକ ପିଲା ଲାଇଭ କ୍ଲାସ ରେ ଉପସ୍ଥିତ ରହୁଛନ୍ତି ତା’ର ମଧ୍ୟ ଡାଟା ରଖିବାକୁ ନିର୍ଦ୍ଦେଶ ରହିଛି। ସେପଟେ ଆଜିଠୁ ଦୂରଦର୍ଶନ ମାଧ୍ୟମରେ ଯୁକ୍ତ ଦୁଇ ଶେଷ ବର୍ଷ ଲାଗି ଫିଜିକ୍ସ ଓ କେମିଷ୍ଟ୍ରି ବିଷୟରେ ଭିଡିଓ କ୍ଲାସ ହେବ ଓ ରାତି ୯ରୁ ୧୦ଟା ଯାଏ ଭିଡିଓ କ୍ଲାସ୍ର ପ୍ରସାରଣ ହେବ।