ସରକାରଙ୍କୁ କୋଭିଡ ବେଡ୍ ଚିନ୍ତା
ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଗୁରୁତର କରୋନା ରୋଗୀଙ୍କୁ କିଭଳି ଚିକିତ୍ସା ଯୋଗାଇଦିଆଯିବ ସେ ନେଇ ଚିନ୍ତାରେ ସରକାର । କରୋନା ରୋଗୀଙ୍କ ଉତମ ଚିକିତ୍ସା ଯୋଗାଇଦେବାକୁ ପୁନଃ କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି ।
ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ୟ୍ୟକ୍ଷମ ହେବ । ସମ ହସ୍ପିଟାଲରେ ମଧ୍ୟ ବେଡ ସଂଖ୍ୟା ବୃଦ୍ଧି କରାଯାଇଛି । କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫ଶହକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ପଟିଆରେ ଓ ଡୁମଡୁମାରେ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି । ପଟିଆରେ ୬୦ ଓ ଡୁମଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବ ।ଏହାପୂର୍ବରୁ ଘାଟିକିଆ, ଗଜପତିନଗର ଓ କିଟ୍ରେ ୩ଟି ଓୟୋ ହୋଟେଲରେ ୪୦ ଶଯ୍ୟା ବିଶିଷ୍ଟ ଦେୟଯୁକ୍ତ ସଂଗରୋଧ ଗୃହ କରାଯାଇଛି।
ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର୍ କରିଛି। ୨୪ ଘଣ୍ଟାରେ ରାଜ୍ୟରେ ୨,୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ୭ଟି ଜିଲ୍ଲାରେ ସଂକ୍ରମଣ ୧୦୦ ଉପରେ ରହିଛି । ସୁନ୍ଦରଗଡ,ଖୋର୍ଦ୍ଧା, ନୂଆପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବଢୁଛି ତାହା ଚିନ୍ତାଜନକ ।