THE BYAPINI

ଆରପାରିରେ ଅଜିତ ମଙ୍ଗରାଜ

Get real time updates directly on you device, subscribe now.

ଆଉ ଦୁଇ ଦିନ ପରେ ଥିଲା ପିପିଲି ଉପନିର୍ବାଚନ । ନିର୍ବାଚନ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଥିଲା । କିନ୍ତୁ ତା ପୂର୍ବରୁ ଆସିଛି ଏକ ଦୁଃଖଦ ଖବର । ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ଅଜିତ୍‌। ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। କିଛିଦିନ ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ଅପରାହ୍ଣରେ ହସ୍ପିଟାଲ୍ ପକ୍ଷରୁ ଅଜିତ ମଙ୍ଗରାଜଙ୍କର ପରଲୋକ ଖବର ଦିଆଯାଇଥିଲା।

ପିପିଲି ଉପନିର୍ବାଚନ ପୂର୍ବରୁ ଏଭଳି ଏକ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପିପିଲି-ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଥିବା ଶ୍ରୀ ମଙ୍ଗରାଜ ପିପିଲି-ଡେଲାଙ୍ଗ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଥିଲେ।

ଅଜିତ ମଙ୍ଗରାଜ ଗତ ୮ ତାରିଖ ଦିନ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡେଲାଙ୍ଗ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ବେରବୋଇଠାରେ କଂଗ୍ରେସର ପ୍ରଚାର ଚାଲିଥିଲା ଓ ଅଜିତ ଏଥିରେ ଯୋଗ ଦେଇଥିଲେ। ପ୍ରବଳ ଗରମ ଯୋଗୁ ପ୍ରଚାର ବେଳେ ହଠାତ୍‌ ଅଜିତ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଉପସ୍ଥିତ କର୍ମୀମାନେ ତାଙ୍କୁ ତୁରନ୍ତ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ୮ ଘଣ୍ଟାର ଚିକିତ୍ସା ପରେ ଅଜିତ ଘରକୁ ଫେରିଥିଲେ। ଏହାପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.